କହିବାକୁ ଅଛି କଥା ତ ଅନେକ..(There are many things to say)

  • By Deepak Jena
  • | Published on 10/24/2020 10:06:19 AM
Poem - There are many things to say | Poet : Deepak Jena | Written on : 21-January-2020 | Language : Odiya

କହିବାକୁ ଅଛି କଥା ତ ଅନେକ..

(କବି - ଦୀପକ ଜେନା)

----------------------------------------------- 

କାନ୍ଦିବାକୁ ଅଛି କାରଣ ହଜାରେ
ହସିବାକୁ ଗୋଟେ ନାହିଁ,
ଜୀବନ ସ୍ରୋତରେ ସାହାରା ଦେବାକୁ
କୁଟା ଖଣ୍ଡେ ମିଳେ ନାହିଁ |

କହିବାକୁ ଅଛି କଥା ତ ଅନେକ
ଶୁଣିବ କିଏ ସେ ଏଠି,
ନିଜର ଗୀତକୁ ନିଜେ ଗାଇବାକୁ
ଓଠ ମାଗେ ପ୍ରତିଶୃତି |

ଗହନ ରାସ୍ତାରେ ଚାଲୁଚାଲୁ କେବେ
ପାଦେ କଣ୍ଟା ଫୁଟିଯାଏ,
ସେ "ଆହାଃ"ର ସ୍ୱର କାହାର ମନକୁ
କର୍କଶ ବି ଲାଗୁଥାଏ |

କାହାର ବଳକା ପ୍ରେମକୁ ମୁଁ ଆଜି
ସବୁକିଛି ଭାବି ନିଏ,
ସେ ପ୍ରେମରୁ ଯଦି ନିଆଁ ବରଷେ ମୁଁ
କାହିଁ ମହୁ ଖୋଜୁଥାଏ?

ଯେଉଁ ରଙ୍ଗମଞ୍ଚେ ଅଭିନୟ ପାଇଁ
ମୁଁହରେ ରଙ୍ଗ ମାଖିଛି,
ଅଜଣା ନାଟକ, ଅଭିଜ୍ଞ ଭୂମିକା
ସଂଳାପ ଭୁଲିଯାଇଛି |

ମହା ଅଭିନେତା ବିଶାଳ ଦର୍ଶକ
ବିଚଳିତ ମତେ କରେ,
ନିଜର ଅସ୍ତିତ୍ତ୍ୱ ନିଜ ଅଭିମାନ
ଭୁଲେ କାହା ନିର୍ଦେଶରେ |

 

ପକ୍ଷ ମୁଁ ଲଗାଇ ଉଡି ଉଡି ଯାଇ
ଘର ତଳେ ବହୁଦୂରେ,
କୁଟା କାଠି ଘର ଜଳେ ବାରମ୍ବାର
ବୈଶାଖୀର ଇଙ୍ଗିତରେ |

ଯାହାଙ୍କ ମୁଁହରେ ହସ ଦେଖିବାକୁ
ନେଇଥିଲି ପ୍ରତିଶୃତି,
କରୁଣ କାହାଣୀ ଦାରୁଣ୍ୟ ସଂଘର୍ଷ
କେମିତି ସହିବ ଛାତି?

ଆଖିଲୁହ ସବୁ ପିଇ ପିଇ ଓଠ
ମିଣ୍ଟିଛି କି ତୃଷ୍ନା ତା'ର?
କା' ପଣତ କାନି ଖୋଜେ ପୋଛିବାକୁ
ବାକିଥିବା ଲୁହଧାର |

ସୁରୁଜ ମୋ'ର ଉଅଁଇ ଆକାଶେ
ଅନ୍ଧାରର ପ୍ରତୀକ୍ଷାରେ,
ସନ୍ଧ୍ୟା ଆଗମନ ଆଶ୍ୱାସନା ଦିଏ
ନିଷ୍ତେଜିତ ଆକାଂକ୍ଷାରେ |

କାଳର କରାଳ ବୈଶାଖୀର ଖେଳ
ଦେଖିବାକୁ ଭିଡ ଏଠି,
ନିସଙ୍ଗ ବାଟୋଇ ବାଟ ଭୁଲିଯାଇ
ଖୋଜିବୁଲେ ଏଠିସେଠି |

  • Poem