ଭୂମି ବକ୍ଷ ଚିରି ଫୁଟି ଟିକି କଢି ଭାଙ୍ଗିବ ଦିନେ ସେ ଦାରିଦ୍ରର ବେଡି, କୁହୁଡି ସମାନ ଦୁଃଖର ଆସ୍ତର ମିଟିବ ନିଶ୍ଚୟ ରୌଦ୍ରରେ ସୂର୍ଯ୍ୟର |
ଫୁଟିଥିଲା ହୋଇ ବଣେ ବଣ ମଲ୍ଲି ଥିଲା ବହୁଦୂରେ ତା'ଠୁ ପୁରପଲ୍ଲୀ, କେତେ ବାଧାବିଘ୍ନ ଅସହ୍ୟ ଯନ୍ତ୍ରଣା ନିଶ୍ଚଳ ନିର୍ଭୀକେ କରିଲା ସାମନା |
କ୍ଷୁଦ୍ର କ୍ଷୁଦ୍ର ଖାଦ୍ୟ ବୋହି କ୍ଷୁଦ୍ର ପ୍ରାଣୀ ଠୁଳ କଲା ସିନା ଭଣ୍ଡାରର ମୁଣୀ, ମୂଲ୍ୟହୀନ ହେଲା ଶ୍ରମ ତା' ନିମିଷେ ଝଡର ତାଣ୍ଡବ ପ୍ରକୋପ ପରଶେ |
ସେ ଖାଦ୍ୟର ସମ ମୋ ମାନ ମର୍ଯ୍ୟାଦା ଆର୍ଜିଥିଲି ତାରେ ସହି ବହୁ ବ୍ୟଥା, ବନ୍ଧୁ ପରିଜନେ ବୋଲାଇ ଅନନ୍ୟ ଲଭି କା'ର ପୁଣି ଆଦର୍ଶର ସ୍ଥାନ |
ଢେଉ ପ୍ରତିଦିଗେ କରି ସନ୍ତରଣ ସ୍ପର୍ଶୀ ସିନା ସ୍ଥିତ ଲକ୍ଷ ନିର୍ଧାରଣ, ଆଜି ଅପବାଦ ବନ୍ୟା ଏ ନଦୀରେ ଭଗ୍ନାଶେଷ ସାଜେ ପ୍ଲାବିତ ଗ୍ଳାନିରେ |
ଅନ୍ଧାର ରଜନୀ ମିଟାଇ ପୁର୍ଣିମା ଦିଶୁଥିଲା କ୍ଷଣେ ଆକାଶେ ଚନ୍ଦ୍ରିମା, କଳା ମେଘେ ତାରା ହେଲେଣି ଅଦୃଶ୍ୟ କ୍ଷଣିକେ କରିବା ଶଶୀକୁ ବି ଗ୍ରାସ |
|
|
|
|
ଚାଲରେ ସମୟ ତୁ କ୍ଷିପ୍ର ବେଗରେ ଅସହ୍ୟ ଏ ଯାତ୍ରା ବୈଶାଖ ତାତିରେ, ଛିଞ୍ଚି ଦିଏ ଟିକେ ବରଷାର ଜଳ ନିସଙ୍ଗ ପଥରେ ମିଣ୍ଟୁ ତୃଷ୍ଣା ମୋର |
କର୍ଣ୍ଣ ପା6ର୍ଶ୍ଵ ଆଜି ବାଜୁଛି ମୃଦଳ କିଛି ନୁହେଁ ସେତ ମୋର କର୍ମଫଳ, ବିବ୍ରତତା ସିନା ସେଇ କଟ୍ଟୁ ସ୍ଵରେ ସହିବାକୁ ହେଵ ଜାଣେ ନିର୍ବିକାରେ |
ରାତ୍ରୀକି ପାହିବା ସୁରୁଜ ଉଇଁବ ବସାନ୍ତେ କୋଇଲି କୁହୁ କି ଗାଇବ? ଫଗୁଣ କି ଫଗୁ ରଙ୍ଗେ ସମାହିତ ଶୁଷ୍କ ତରୁଲତା ହେବ ସବୁଜିତ |
ବର୍ଷ ପରେ ବର୍ଷ କେତେଯେ ଗଲାଣି କୋଷ ଦୂରେ ମୋର ଜନକ ଜନନୀ, ଆଶାର ଦୀପକ ପ୍ରଜ୍ୱାଳାଇ ମନେ ଚାହିଁ ବସିଛନ୍ତି ସୁଖ ଅନ୍ବେଷଣେ |
ଭରିଯାଉ କ୍ଷୀଣ ମନେ ମନୋବଳ ସମସ୍ୟାର ରଣ ଲାଗିଛି ପ୍ରବଳ, ରଣାଙ୍ଗନେ ଖଡ୍ଗ ଗଦାର ପ୍ରହାର ସହିବାକୁ ହେଉ ବଜ୍ର ଏ ଶରୀର |
ମାଗୁନାହିଁ ପ୍ରଭୁ ତୁମ ଚମତ୍କାର ଆଶ୍ଵାସନ ଖାଲି ଯାହା ଦରକାର, ସମର ପ୍ରାଙ୍ଗଣେ କଲ ଅବର୍ତ୍ତିନ ଶକ୍ତ କର ପ୍ରଭୁ ଏଇ ଭଗ୍ନମନ |
|